Unknown

 

 

 

 

 

 

 

 

 

ବିବିଧ କବିତା

ଭକ୍ତକବି ମଧୁସୂଦନ ରାଓ

 

ନୀତିରତ୍ନମାଳା

 

(୧)

ପ୍ରତ୍ୟକ୍ଷ ଦେବତା ବୋଲି ମଣିବ ହେ ଜନନୀ-ଜନକେ,

କରିବ ଦୁହିଁଙ୍କ ସେବା ପ୍ରାଣପଣେ ବାଳିକା ବାଳକେ ।

ଶୁଣାଇବ ମୃଦୁ ବାଣୀ ଆଚରିବ ପ୍ରିୟ ଅନୁକ୍ଷଣ,

ସୁପୁତ୍ର ସୁକନ୍ୟା ହୋଇ ସୁପବିତ୍ର କର ହେ ଜୀବନ ।

ଅଟନ୍ତି ପରମଗୁରୁ ପିତାମାତା ଘେନ ଏହି ଦୀକ୍ଷା,

ଆକାଶହୁଁ ବଡ଼ ପିତା, ମାତା ବଡ଼ ପୃଥିବୀ ଅପେକ୍ଷା ।

(୨)

ନୁହେଁ ବୃଦ୍ଧ ସେହି ଜନ ଶୁକ୍ଳକେଶ ଅଟେ ଯାର ଶିର,

ଯୌବନେ ଯେ ଜ୍ଞାନେ ରତ ଦେବେ ତାକୁ ବୋଲନ୍ତି ସ୍ଥବିର ।

ଯୌବନେ ଧାର୍ମିକ ହେବ, ଏ ଜୀବନ ଯେଣୁ ଅନିଶ୍ଚିତ,

କେ ଜାଣେ କାହାର ଆଜି ମୃତ୍ୟୁକାଳ ହେବ ଉପସ୍ଥିତ ।

ସୁଚରିତ୍ର ସୁଶୀଳ ଯେ ପ୍ରସନ୍ନାତ୍ମା ଆତ୍ମଜ୍ଞ ସୁମତି,

ଇହଲୋକେ ଲଭେ ମାନ, ପରଲୋକେ ଲଭଇ ସଦ୍‍ଗତି ।

 

 

 

(୩)

ବଚନ ମନନ ଯାର ସତ୍ୟପୂତ ପୁଣି ସୁସଂଯତ,

ପ୍ରଶାନ୍ତ ଯାହାର ମନ ପୁଣ୍ୟକର୍ମେ ସର୍ବଦା ନିରତ ।

ଅଧର୍ମର ଭାବ ଯେହୁ ହୃଦୟରେ ନ ପୋଷଇ କ୍ଷଣେ,

ପବିତ୍ର ଜୀବନ ତାର ଧନ୍ୟ ଧନ୍ୟ ଏ ମର୍ତ୍ତ୍ୟଭୁବନେ ।

ନିଜେ ସେ ନିଜର ବନ୍ଧୁ ଜିତେନ୍ଦ୍ରିୟ ଅଟଇ ଯେ ଜନ,

ନିଜେ ସେ ନିଜର ବୈରୀ ରିପୁଙ୍କୁ ଯେ ନ କରେ ଦମନ ।

(୪)

ଲଭି ଏ ମନୁଷ୍ୟ-ଜନ୍ମ ଲଭିଣ ଏ ବୃଦ୍ଧି ଓ ହୃଦୟ,

ଆତ୍ମଘାତୀ ସେ ଜନ ଯେ ପରମାୟୁ ବୃଥା କରେ କ୍ଷୟ ।

ପ୍ରଥମ ବୟସେ କର ସେହି କର୍ମ ଯଦ୍ଦ୍ୱାରା ଜୀବନ

ହୋଇବ ଉତ୍ତର-କାଳେ ସୁଖ ଆଉ ଶାନ୍ତିର ଭବନ ।

ଧନହୀନ ବୋଲି କେଭେଁ ଆପଣାକୁ ଅବଜ୍ଞା ନ କର,

ଉଦ୍‌ଯୋଗୀ ଲଭଇ ଲକ୍ଷ୍ମୀ, ତେଣୁ କାର୍ଯ୍ୟେ ହୁଅ ରେ ତତ୍ପର ।

(୫)

କାଳଚକ୍ରର ଆବର୍ତ୍ତନେ,

ଭୁଞ୍ଜନ୍ତି ସୁଖ-ଦୁଃଖ ଜନେ

ସୁଖ ବା ଦୁଃଖ ଆସୁ ଯାହା,

ବହିବ ଧୀର-ଚିତ୍ତେ ତାହା

ଧନ ଅଭାବେ ଧର୍ମ-ପଥ,

ନ ହୁଡ଼ ହୋଇ ଅସଂଯତ

ନିର୍ମଳ ସୁଖ ବାଞ୍ଛ ଯଦି,

ସନ୍ତୋଷେ ଥିବ ନିରବଧି

ନାହିଁଟି ଅନ୍ତ ପିପାସାର,

ତେଣୁ ସନ୍ତୋଷ କର ସାର

(୬)

ମୌନେ କିମ୍ବା ବନବାସେ ମୁନି କେହି ନ ହୁଅଇ ନର,

ଆତ୍ମତତ୍ତ୍ୱ ଜାଣେ ଯେହୁ ମୁନିଶ୍ରେଷ୍ଠ ଅଟେ ସେ ନିକର ।

ନ ଇଚ୍ଛିବ ମୃତ୍ୟୁ କେଭେ, ନ ଇଚ୍ଛିବ ପରମାୟୁଭୋଗ,

ପ୍ରତୀକ୍ଷା କରିବ କାଳ ଭୃତ୍ୟ ଯଥା ପ୍ରଭୁର ନିୟୋଗ ।

(୭)

ହେ ଗୃହସ୍ଥ, ହୁଅ ସଦା ବ୍ରହ୍ମନିଷ୍ଠ ଜ୍ଞାନପରାୟଣ,

ଯେଉଁ କର୍ମ ଆଚରିବ ବ୍ରହ୍ମପଦେ କର ସମର୍ପଣ ।

ଜ୍ୟେଷ୍ଠ ଭାଇଙ୍କର ଜାୟା ମାତୃସମା କନିଷ୍ଠ ଭ୍ରାତାର,

କନିଷ୍ଠର ପତ୍ନୀ ଅଟେ କନ୍ୟାସମା ଏହି ସଦାଚାର ।

କନିଷ୍ଠ ଅଟନ୍ତି ଯେହୁ ଭାଇ ଭଗ୍ନୀ ତନୟ ତନୟା,

ସେମାନଙ୍କ ହିତ ସାଧ ହୃଦୟରେ ବହି ସ୍ନେହ ଦୟା ।

ଘୃଣା ବା ଅବଜ୍ଞା କେଭେ ନ ବହିବ ଦାସଦାସୀ ପ୍ରତି,

ଆଚରିବ ତାଙ୍କ ଉପକାର ହୋଇଣ ପ୍ରସନ୍ନମତି ।

ପିତୃବ୍ୟ ମାତୁଳ ଆଦି ବିତୃଷ୍ୱସା ପୁଣି ମାତୁଳାନୀ,

ସେମାନଙ୍କୁ ଭକ୍ତି କର ସଦା, ଗୁରୁ ଜ୍ୟେଷ୍ଠା ଭଗ୍ନୀ ।

ଜ୍ୟେଷ୍ଠ ଭ୍ରାତା ପିତାସମ, ଜ୍ୟେଷ୍ଠା ଭଗ୍ନୀ ଜନନୀ ସମାନ

ପତି ପତ୍ନୀ ପରସ୍ପର ପ୍ରାଣସମ, ଏଥି ନୁହଁ ଆନ ।

ପିତାମହ ମାତାମହ ପିତାମହୀ ମାତାମହୀ ତଥା

ଅଟନ୍ତି ପରମଗୁରୁ, ସେମାନଙ୍କୁ ପୂଜ ହେ ସର୍ବଥା ।

ଅର୍ଦ୍ଧମାତ୍ର ଥାଏ ନର ଧର୍ମପତ୍ନୀ ନ ଲଭିବାଯାଏ

ବାଳକବାଳିକାଶୂନ୍ୟ ନିକେତନ ଶ୍ମଶାନ ପରାଏ ।

ଅଟନ୍ତି ଗୃହର ଲକ୍ଷ୍ମୀ ସତୀ ନାରୀ ସନ୍ତାନଜନନୀ,

ପୂଜନୀୟା ମହାଭାଗା ରମଣୀଏ ସଂସାରର ମଣି ।

ପତି ପତ୍ନୀ ଦୁହିଁଙ୍କର ଏହି ଅଟେ ଧର୍ମ ସନାତନ,

କେବେହେଁ ଳଙ୍ଘିବେ ନାହିଁ ପରସ୍ପରେ ଯାବତଜୀବନ ।

ଧର୍ମେ କର୍ମେ ଭୋଗେ ଯୁକ୍ତ ପରସ୍ପର ବିଶୁଦ୍ଧ ପ୍ରେମରେ,

ଦମ୍ପତିଜୀବନ ଧନ୍ୟ ମଧୁମୟ ବିଶ୍ୱ-ଚରାଚରେ ।

ଯେଉଁ ଗୃହେ ପରସ୍ପରେ ପରିତୁଷ୍ଟ ପତ୍ନୀ ଆଉ ପତି,

ସେ ସନ୍ତୋଷମୟ ଗୃହ ମଙ୍ଗଳର ଚିରନିବସିତ ।

ଧର୍ମେ କର୍ମେ ସହଚରୀ ଛାୟାପରି ପତି-ଅନୁଗତା,

ସ୍ୱଚ୍ଛମନା ସୁଭାଷିଣୀ ସଦାଚାରା ସର୍ବଦା ସଂଯତା ।

ଗୃହର ଯାବତ କାର୍ଯ୍ୟେ ସଦାରତା ସୁପ୍ରସନ୍ନମନେ,

ଧନ୍ୟା ପୁତ୍ରକନ୍ୟାବତୀ କୁଟୁମ୍ବିନୀ ଏ ମର୍ତ୍ତ୍ୟଭୁବନେ ।

ଗୃହସ୍ଥ ପାଳିବେ ଯତ୍ନେ ପତ୍ନୀ ଆଉ ପୁତ୍ରକନ୍ୟାଗଣେ,

ଆଚରିବେ ସ୍ୱଜନର ବାନ୍ଧବର ହିତ ପ୍ରାଣପଣେ ।

ବିଦ୍ୟା ଶିଖାଇବେ ପୁତ୍ର କନ୍ୟା ଉଭୟେ ଯତନେ,

ବିତରି ଧର୍ମର ଜ୍ଞାନ ଚଳାଇବେ ଧର୍ମର ଶାସନେ ।

Image

 

ଦୃଷ୍ଟାନ୍ତମାଳା

 

ଶିଳାରେ ଘଷିଲେ ଚନ୍ଦନ

ସୁବାସ କରେ ବିତରଣ ।

ତେସନେ ସଂସାରକଷଣେ

ବିତରେ ସାଧୁ ପ୍ରେମଧନେ ।୧।

କାଞ୍ଚନ ଅଗ୍ନିପରୀକ୍ଷାରେ

ଝଟକେ ତେଜେ ଯେ ପ୍ରକାରେ,

ସଜ୍ଜନ ଦୁଃଖାଗ୍ନିରେ ଦହି

ପୁଣ୍ୟର ତେଜରେ ଶୋଭଇ ।୨।

ଏକାଗ୍ର ଦୃଷ୍ଟି ନିରନ୍ତର

ରଖି ଯେ ଲକ୍ଷ୍ୟେ ପେଶେ ଶର,

ଲକ୍ଷ୍ୟ ଭେଦଇ ସେହି ଜନ

ଲଗାଇ ତହିଁ ପ୍ରାଣ ମନ ।୩।

ସିଦ୍ଧି ଲଭିବ ଯଦି ନରେ,

ତେବେ ଏକାଗ୍ର ମାନସରେ

ସ୍ଥିର ସଂକଳ୍ପ ଅନୁସରି

କୌଶଳେ କର୍ମ ଯାଅ କରି ।୪।

ଫଳଭରେ ଅବନତ ଯଥା ତରୁଗଣ,

ଜଳଭରେ ଅବନତ ନୀରଦ ଯେସନ,

ନାନାଗୁଣେ ସେହିପରି ନମ୍ର ସାଧୁଜନେ,

ଐଶ୍ୱର୍ଯ୍ୟରେ ମଧ୍ୟ ଗର୍ବ ନ ବହନ୍ତି ମନେ ।୫।

ପାଦମସ୍ତକେ ଯଥା ରୌଦ୍ରତାପ ସହି

ଛାୟାଦାନେ ପଥିକର ସନ୍ତାପ ହରଇ,

ସ୍ୱସୁଖକାମନା ତେଜି ବହୁ କ୍ଲେଶ ସହି

ସାଧୁଜନ ତଥା ଲୋକ-କଲ୍ୟାଣ ସାଧଇ ।୬।

ଅସାଧୁ ହୁଅଇ ସାଧୁ ସାଧୁର ସଙ୍ଗରେ,

ନିର୍ମଳ ପଙ୍କିଳ ଜଳ ନିର୍ମଳାଯୋଗରେ ।

ସଲିଳ ସଞ୍ଚୟ କରି ବାରିଦ ଯେସନ

ଲୋକହିତ ଲାଗି ତାହା କରଇ ବର୍ଷଣ

ସାଧୁଜନ ସେହିରୂପେ ଅରଜିଣ ଧନ

ଲୋକହିତ ଲାଗି ତାହା କରେ ବିତରଣ ।୭।

କାଞ୍ଚନ ବିଶୁଦ୍ଧ କିମ୍ବା ସେ ଅଟେ ମିଶ୍ରିତ,

ଜଣାପଡ଼େ ଅନଳରେ ହେଲେ ପରୀକ୍ଷିତ ।

ସାଧୁତା ବେ ଅସାଧୁତା ମନୁଷ୍ୟର ତଥା

ବିପଦକାଳରେ ଜଣାପଡ଼ଇ ସର୍ବଥା ।୮।

ବାଳୁଙ୍ଗା ଉପାଡ଼ି କ୍ଷେତୁଁ କୃଷକ ଯେସନ

ଶସ୍ୟକୁ ବଢ଼ାଏ କରି ବିବିଧ ଯତନ,

ଉପାଡ଼ିଣ ହୃଦୟରୁ କୁପ୍ରବୃତ୍ତିଗଣ

ସୁଜନେ ସଦ୍‌ଗୁଣଚୟ କରନ୍ତି ବର୍ଦ୍ଧନ ।୯।

Image

 

ମଣି-ମାଳା

 

ମା’ ନାମ ମଧୁର ଅମୃତ-ସମାନ,

 

ମା’ ନାମେ ଶୀତଳ ହେଉ ମୋହର ପରାଣ

।୧।

ପିତାମାତା ଗୁରୁଜନ ଦେବତା ସମାନ,

 

ତାଙ୍କୁ ଭକ୍ତିଭରେ ସେବି ହେବି ସୁସନ୍ତାନ

।୨।

ଭାଇଭଗିନୀଙ୍କୁ ସ୍ନେହ କରି ଅନୁକ୍ଷଣ

 

ଧନ୍ୟ ହେଉ, ଧନ୍ୟ ହେଉ ଏମୋର ଜୀବନ

।୩।

ପରଦୁଖେଃ ଦୁଃଖୀ ହୋଇ ଦୁଃଖୀ ଜନ ପ୍ରତି

 

ଦୟା କରି ହେବି ମୁହିଁ ସୁଶୀଳ ସୁମତି

।୪।

ବିଶ୍ୱପତି ପ୍ରାଣଦାତା ପରମ ଈଶ୍ୱରେ

 

ଭଜିବି ପୂଜିବି ମୁହିଁ ସଦା ଭକ୍ତିଭରେ

।୫।

ମୁଖେ ସଦା ସତ୍ୟକଥା, ସତ୍ୟଚିନ୍ତା ମନେ,

 

ମୁଖେ ଅବା ମନେ ମିଥ୍ୟା ନ ରଖିବି କ୍ଷଣେ

।୬।

ସ୍ୱଦେଶ ସ୍ୱଗୃହ ଅଟେ ସ୍ୱରଗ ସମାନ,

 

ଦେଶହିତେ ଗୃହହିତେ ଲଗାଇବି ପ୍ରାଣ

।୭।

ଏ ବ୍ରହ୍ମାଣ୍ଡେ ଏ ଜୀବନେ ମହାଶାସ୍ତ୍ର ଜାଣି

 

ବିନୟେ ଶିଖିବି ଜ୍ଞାନ, ହେବି ତହୁଁ ଜ୍ଞାନୀ

।୮।

ମଙ୍ଗଳ ସୁନ୍ଦର ସତ୍ୟ ଲୋଡ଼ି ନିନ୍ତର

 

ଧନ୍ୟ ହେଉ, ଧନ୍ୟ ହେଉ ଜୀବନ ମୋହର

।୯।

Image

 

ଧର୍ମ

 

ବାଲ୍ୟକାଳୁ ଧର୍ମ- ଧନ ମୁଁ ସଞ୍ଚିବି

ଏ ଜୀବନ ଅନିଶ୍ଚିତ,

କେ ଜାଣେ କାହାର ଆଜି ମୃତ୍ୟୁକାଳ

ହୋଇଯିବ ଉପସ୍ଥିତ ।

କ୍ଷୁଦ୍ର କୀଟ ଉଇ ଅଳ୍ପ ଅଳ୍ପ କରି

ରଚଇ ବଲ୍ମୀକ-ଘର;

ମୁହିଁ ସେହିପରି ସଞ୍ଚିବି ଯତନେ

ପୁଣ୍ୟ-ଧନ ନରନ୍ତର ।

ବାକ୍ୟରେ ମନରେ କିଅବା କର୍ମରେ

ନ କରିବି ପାପାଚାର,

ତେଜିବି ଅସତ୍ୟ ହିଂସା କପଟତା

ଲୋଭ କ୍ରୋଧ ଅହଙ୍କାର ।

ସତ୍ୟେ ମନ ରଖି ସତ୍ୟକୁ ବୁଝିବି,

ଗାଇବି ସତ୍ୟର ଜୟ;

ମଙ୍ଗଳ କାର୍ଯ୍ୟରେ ଲାଗିଥିବି ସଦା

ତେଜିଣ ସକଳ ଭୟ ।

ଏହି ମହାକାଶେ ଏ ମୋର ଆତ୍ମାରେ

ବିରାଜିତ ମହେଶ୍ୱର,

ସେ ମୋତେ କଦାପି ତେଜି ତ ନାହାନ୍ତି

ପ୍ରାଣେ ଛନ୍ତି ନିରନ୍ତର ।

ଜୀବନେ ମରଣେ ସମ୍ପଦେ ବିପଦେ

ରୋଗ ଶୋକେ କେତେବେଳେ,

କେଭେଁ ନ ଛାଡ଼ିବି       ସେ ପ୍ରାଣସଖାଙ୍କୁ

ସେ ମୋତେ ତାରିବେ ହେଳେ ।

ସର୍ବଅଧିପତି ସର୍ବଅନ୍ତର୍ଯ୍ୟାମୀ

ସର୍ବଶୁଭବୁଦ୍ଧିଦାତା,

ଧର୍ମର ଆକର ଅଟନ୍ତି ଈଶ୍ୱର

ସର୍ବଭୁବନବିଧାତା ।

Image

 

ପବନ

 

ମୋତେ ନୟନରେ କେହି ଦେଖିନାହିଁ,

ଅଛି ମୁହିଁ ସବୁଠାରେ,

ସମସ୍ତଙ୍କୁ ଛୁଇଁ ପଳାଇଯାଏ ମୁଁ,

କିଏ ମୋତେ ଧରିପାରେ ?

ଦୋହଲାଇ ନଦୀ-       ସମୁଦ୍ରର ଜଳ,

ତରୁ ଲତା ପୁଷ୍ପ ଫଳ,

ଆକାଶରେ ମେଘ- ମାଳଙ୍କୁ ଚଳାଇ

ବୁଲଇ ମୁହିଁ ଚଞ୍ଚଳ ।

ମହାବେଗେ ଯେବେ ବୁଲଇ ଜଗତେ,

ଭାଙ୍ଗିଯାଏ ଘରଦ୍ୱାର,

ଉପୁଡ଼ି ପଡ଼ଇ ବଡ଼ ବଡ଼ ବୃକ୍ଷ

ପଡ଼ିଯାଏ ହାହାକାର ।

ମୋ ବିନା ବଞ୍ଚିବ କିଏ ଏ ଜଗତେ

ମୁଁ ତ ଜୀବର ଜୀବନ,

ମୋ ନାମ କହ ହେ ବାଳକ ବାଳିକା !

ଆରେ ପବନ ପବନ ।

Image

 

ନବବର୍ଷ

 

(୧)

ହେ ନୂତନ ସମ୍ବତ୍ସର ନବ ଦେବଦୂତ,

ମହାକାଳ-ଅବତାର ହେ ନବ ଅତିଥି,

ୠତୁ ମାସ ପକ୍ଷ ଦିନ ବେଳା ବାର ତିଥି–

ବିଧି ଅନୁକ୍ରମେ ଭବେ ତୁମ୍ଭେ କି ଆହୂତ ?

ପ୍ରତିକ୍ଷଣ ନୁହଇ କି ତବ ସ୍ଥିତି-ପୂତ?

ନୁହଁ କି ହେ ନିତ୍ୟ ପୁରାତନ, ନିତ୍ୟ ନବ ?

କେ ଜାଣେ କେବଣ କ୍ଷଣେ ତୁମ୍ଭର ସମ୍ଭବ ?

ହେ ବରେଣ୍ୟ, ଅଦଭୁତ ସିଦ୍ଧ ଅବଧୂତ ।

ଆସ ଆସ ଆସ ମୋର ହୃଦୟ-ଶ୍ମଶାନେ,

ଦଗ୍‌ଧ ଯହିଁ କେତେ ଆଶା କେତେ ମନୋରଥ,

ନବ ଆଶା ନବ ଭାବ ସଞ୍ଚାରି ପରାଣେ

ଫିଟାଇ ଦିଅ ହେ ନବ କଲ୍ୟାଣର ପଥ,

ପୁଣ୍ୟ ଉତ୍ସାହର ମନ୍ତ୍ର ଉଚ୍ଚାରି ସଘନେ

ଉଦ୍ଧାର ଉଦ୍ଧାର ଏହି ଦୀନହୀନ ଜନେ ।

 

(୨)

ଥିଲା ଯାହା କିଛି ସତ୍ୟ ମଙ୍ଗଳ ସୁନ୍ଦର

ଅତୀରର ରାଜ୍ୟେ ସେହି ଶାଶ୍ୱତ ସମ୍ପଦ

ଅତୀତ-ଦାୟାଦରୂପେ ଲଭିଛ ବରଦ,

ବିତର ଏ ଭବେ ଏବେ ତାହା ନିରନ୍ତର,

ଲୁବ୍‍ଧ ସ୍ୱାର୍ଥ-ପର କ୍ରୂର ନର-ଦାନବର

କୁଟିଳ ନିର୍ଲଜ୍ଜ ମଦମତ୍ତ ଅତ୍ୟାଚାରେ

ବିନାଶି ବିସ୍ତାର ରାଜ୍ୟ ଦେବ-ମାନବର

ୠଷିଜନ ହିରଣ୍ମୟ ହୃଦୟ-ଆଧାରେ

ନିହିତ ଯେ ସ୍ୱର୍ଗରାଜ୍ୟ ସେହି ଶାନ୍ତିଧାମ

ସତ୍ୟର ନ୍ୟାୟର ବଳେ କର ପ୍ରତିଷ୍ଠିତ,

ଅନ୍ତରର ମହୋଦାର ସୁମଙ୍ଗଳ କାମ

ନରନାରୀ ଅନ୍ତରରେ ହେଉ ବିସ୍ଫାରିତ,

ଦବ୍ୟ ଜ୍ଞାନ ଶୁଦ୍ଧ ପ୍ରୀତି ଦିଅ ହେ ସକଳେ,

ସ୍ୱର୍ଗର ପୌରୁଷ ଜାଗୁ ଅବନୀ-ମଣ୍ଡଳେ ।

Image

 

ସଂସାରର ଧର୍ମ

 

(୧)

‘‘କି ବୋଲିବେ ଲୋକେ, କିସ କହିବ ସଂସାର ?

ହେଲେହେଁ ଜଡ଼ିତ ଶତ-ଭ୍ରାନ୍ତିର ଜଞ୍ଜାଳେ,

ସତ୍ୟର ବିରୁଦ୍ଧ ଅବା ଅସିଦ୍ଧ ଅକାଳେ,

ତଥାପି ଆଚରଣୀୟ ସଦା ଲୋକାଚାର,

କପଟତା ଭଣ୍ଡତାର ହେଉ ସେ ଆଧାର,

ହେଉ ପଛେ ନାନା ଆଧି-ବ୍ୟାଧିରେ ଦୂଷିତ,

ଉପୁଜାଇ ଅତ୍ୟାଚାର ହତ୍ୟା କଳୁଷିତ,

ତଥାପି ଅଟଇ ଧର୍ମ ଭବେ ଲୋକାଚାର ।

ସଂସାର-ଦେବତା-ପଦତଳେ ହେ ମାନବ ;

ସମର୍ପ ଜୀବନ-ମନ ରଜନୀ ଦିବସ,

ଲଭିବ ଅମରାବତୀ-ଆମୋଦ-ବୈଭବ,

ମିଳିବ, ଲୋଡ଼ିବ ଯାହା ଧନ ମାନ ଯଶ ।

ସଂସାରର ଏହି ଧର୍ମ, ଏ ଅନୁଶାସନ ।’’

ସେ ଧର୍ମର ପୁରୋହିତ ଭଣନ୍ତି ଏସନ ।

 

(୨)

ଶୁଣି ଭବ-ଧରମର ସେ ଅନୁଶାସନ

ଦେଖି ନାନା ପ୍ରେୟଃପୂର୍ଣ୍ଣ ସେ ସଂସାରପଥେ

ଲୋକାକୀର୍ଣ୍ଣ ସୁବିସ୍ତୀର୍ଣ୍ଣ ଚଢ଼ି ମନୋରଥ

ଚଳେ ସେହି ପଥେ ନର ଉଲ୍ଲସିତ ମନେ,

ଅର୍ଜେ ଅର୍ଥ ଯଶ ମାନ ମାତି ପ୍ରଲୋଭନେ,

କାମନା-କାମିନୀ-ମାୟା ନାଗପାଶେ ଶେଷେ

ପାଲଟଇ କ୍ରୂର ବ୍ୟାଘ୍ର ଅବା ମୂଢ଼ ମେଷେ

ପାସୋରିଣ ମାନବର ସ୍ୱର୍ଗୀୟ ଜୀବନେ ।

ତେଣୁ ଘୋର ରିପୁ-ଉପଦ୍ରବେ ଏ ସଂସାର

ପରିଣତ ପୈଶାଚିକ ପାତାଳ ବିବରେ,

ଅବା ଭୂତପ୍ରେତମୟ ଭୀମ ଶ୍ମଶାନରେ ।

କେ ଦେଖିବ ଦେଖ ଏହି ବିଭତ୍ସ ବିକାର !

ଏ ଦାରୁଣ ପରିଣତି ନିରେଖି ନିଜର

ଚମକି ନ ପଡ଼ି କି ହେ ଭବ-ଦାସ ନର !

Image

 

ଆର୍ଶୀବାଦ

 

ଅର୍ଦ୍ଧ-ଶତ ବର୍ଷ ଯାର ଅଶେଷ ଆଶିଷ

ବରଷିଛି ତୋ ମସ୍ତକେ ବତ୍ସ ! ଅହର୍ନିଶ ।

ସ୍ୱରଗର ପ୍ରେମ-ସୁଧାଧାରା ଅବିରତେ

ରଖିଛି ଆଦରେ ତୋତେ ଏ ମହାଜଗତେ ।

ସେହି ବିଶ୍ୱଜନନୀର ଶ୍ରୀଚରଣପ୍ରାନ୍ତେ

ଆଜି ତୋ ଜନମ-ଦିନେ ବସିଣ ଏକାନ୍ତେ,

ଆକୁଳ ଅଗ୍ରଜ ତୋର କୃତଜ୍ଞ ଅନ୍ତରେ

ଆଜନ୍ମ ଜୀବନ-ବାର୍ତ୍ତା ସ୍ମରି ଭକ୍ତିଭରେ,

ସ୍ନେହର ପ୍ରତିମା ତାର ତୋତେ ପ୍ରାଣେ ଧରି,

ପିତୃ-ମାତୃ-ଭ୍ରାତୃ-ସ୍ନେହେ ଆଲିଙ୍ଗନ କରି

ସ୍ନେହର ଚୁମ୍ବନ ଦେଇ ଆନନେ ତୋହର

ବନ୍ଦଇ ଆନନ୍ଦେ ବିଶ୍ୱଜନନୀ ପୟର;

ବ୍ୟାକୁଳେ ମାଗଇ ସେହି ଅଭୟ ଚରଣେ,

ରଖ ମା’ ରଖ ମା’ ମୋର ଅନୁଜ ଜୀବନେ ।

ଅନନ୍ତ ମଙ୍ଗଳମୟ ପ୍ରେମ-ଛାୟାତଳେ

ଦିବ୍ୟାଲୋକ ଦିଅ ମାତା ହୃଦ-ଶତଦଳେ ।

ଅନନ୍ତ ପ୍ରେମରେ ମଧୁମୟ ଆଲିଙ୍ଗନେ

ଅନନ୍ତ ସ୍ନେହର ପୁଣ୍ୟ ଅମୃତ ଚୁମ୍ବନେ

ସାର୍ଥକ ସଫଳ ଧନ୍ୟ କର ତା ଜୀବନ,

ଶ୍ରୀପଦେ ମାଗଇ ଭିକ୍ଷା ଏ ଅଧମ ଜନ ।

Image

 

ପରଲୋକଗତା ସୁଲକ୍ଷଣା ଦେବୀ

 

ଦେବି ସୁଲକ୍ଷଣେ, ଜନ୍ମି ସୁକ୍ଷଣେ

ଭବଲୀଳା ସାରି ପୁଣ୍ୟ ଜୀବନେ

ଯାଇଛ ମା’ ଚାଲି ଦେବତାଗ୍ରାମେ

ଜରା-ମରଣର ଅତୀତ ଧାମେ,

ନାହିଁ ଯହିଁ ମୋହ-ମାୟା,

ନାହିଁ ନାହିଁ ଯହିଁ ଶୋକ ପାପ ତାପ

ଦୁଃଖର ତାମସୀ ଛାୟା ।

ସେ ଅନନ୍ତ ଧାମ ଅମୃତାଳୟ

ଅନନ୍ତ ଆନନ୍ଦେ ଆନନ୍ଦମୟ,

ଜ୍ୟୋତିର୍ମୟ ଶୁଭ୍ର ପୁଣ୍ୟ କିରଣେ,

ପୂର୍ଣ୍ଣ ସାଧୁ ଭକ୍ତ ଅମରଗଣେ,

ଧ୍ରୁବ ଧର୍ମ-ଧନ ଯହିଁ,

ଶାଶ୍ୱତ ସତ୍ୟର ସାତ୍ତ୍ୱିକ ଜ୍ୟୋତିର

ଦିବ୍ୟ ତେଜେ ବିରାଜଇ ।

ଯେ ପ୍ରେମ ଭକ୍ତିର ପୁଣ୍ୟ ସରଣୀ,

ଯାଇଛି ସ୍ୱର୍ଗକୁ ଲଙ୍ଘି ଧରଣୀ,

ସେ ସରଣୀ ଅନୁସରି ଜୀବନେ,

ଅନାୟାସେ ଗଲ ଦେବଭବନେ,

ଦେବୀଏ ସ୍ୱାଗତ ଭାଷି,

ତବ କର ଧରି ଆଦରେ ନିଅନ୍ତି

ବରଷି କୁସୁମରାଶି ।

‘ଆସ ଆସ ସତି ଭକତିମତି,

ଆସ ସୁଲକ୍ଷଣେ ସୌଭାଗ୍ୟବତି’–

ବୋଲି ଦେବୀଗଣ ପୁଲକଭରେ

ପୁଣ୍ୟ ପାରିଜାତମାଳା ଆଦରେ

ଲମ୍ବାଇଲେ ତବ ଗଳେ,

ଧନ୍ୟ ଧନ୍ୟ ଦେବି, ଲଭିଲେ ସ୍ୱରଗ

ପବିତ୍ର ବିଶ୍ୱାସବଳେ ।

ଗଲ ଚଳି ଦେବି, ସ୍ୱର୍ଗନିବାସେ

ହୃଦୟର ଇଷ୍ଟଦେବତା ପାଶେ,

ରଖିଯାଇଅଛ ଉତ୍କଳଧାମେ,

ପାରିଜାତମାଳା କବିତାଦାମେ

ସେ ମଧୁର ପଦାବଳୀ,

ପୁଣ୍ୟାମୃତରସେ ସରସ ଯେସନ

ମଧୁମାସେ ବନସ୍ଥଳୀ ।

 

ଶାନ୍ତିସୁଧା ପାନ କର ସ୍ୱର୍ଗରେ,

ଭୁଞ୍ଜ ମା’ ଅମୃତ ଆନନ୍ଦଭରେ,

ଲଭିଣ ଉଦାରତର ଜୀବନେ,

‘ଜଣାଣ’ କର ମା’ ବିଭୁଚରଣେ

ଯେହ୍ନେ ଭକ୍ତି ଅନୁସରି

ଏ ଭବେ ପାଷାଣ– ହୃଦ ଦ୍ରବିଯାଉ

ପାପ ଯାଉ ଅପସରି ।

Image

 

ପୁରୀ ଜିଲ୍ଲାର ଶିକ୍ଷାସମ୍ମିଳନୀ ଉପଲକ୍ଷେ

 

ଜାଗୁଛ କି ଉତ୍କଳ-ସନ୍ତାନେ,

ଜଡ଼ତା-ନିଦ୍ରାର ଅବସାନେ ।

ଆଜି କି ତୁମ୍ଭର ମାନବହୃଦୟ,

ମାନବର ଆଶା-ଉତ୍ସାହ-ଅଭୟ,

ମାନବର ବିଶ୍ୱ-ପ୍ରେମ ସୁଧାମୟ,

ଲଭିଅଛି ବିଧିର ବିଧାନେ ।୧।

ଦୂରେ ଫିଙ୍ଗି କ୍ଷୁଦ୍ର ସ୍ୱାର୍ଥର ବନ୍ଧନ,

ପୁଣ୍ୟ ପୁରୁଷାର୍ଥେ ନିବେଶିଣ ମନ,

ନିବେଦିବ କି ହେ ମାନବଜୀବନ,

ଉତ୍କଳର ମଙ୍ଗଳ-ସାଧନେ ।୨।

ମାନବ-ସମାଜେ ଅତି ଦୀନହୀନ

ଲଜ୍ଜିତ ଲାଞ୍ଛିତ ଭ୍ରାନ୍ତ ପରାଧୀନ,

ଦେଖିଣ ଏ ଘୋର ଦୁର୍ଗତି-ଦୁର୍ଦ୍ଦିନ,

ଡାକୁଛ କି କରୁଣାନିଧାନେ ।୩।

ଅତୀତର ପୁଣ୍ୟ ଗୌରବ ସ୍ମରଣେ,

ଭବିଷ୍ୟତର ଆଶା-ଉଷା ଦରଶନେ,

ଅମୃତ ଅଭୟ ମନ୍ତ୍ରର ସାଧନେ

ଦୀକ୍ଷିତ କି ହୋଇବ ହେ ପ୍ରାଣେ ।୪।

ଉଭାହୁଅ ତେବେ ଅଟଳ ସଂକଳ୍ପେ,

ପରିହରି ବୃଥା ବିଳାସର ତଳ୍ପେ,

ତେଜିଣ ଅସାର ବାବଦୂକ-ଗଳ୍ପେ,

ଜାଗ ଜାଗ ବିଧିର ଆହ୍ୱାନେ ।୫।

ଅଗ୍ରସର ହୁଅ ବିଶ୍ୱାସର ବଳେ,

ମିଶିଯାଅ ମୁକ୍ତି-ତୀର୍ଥଯାତ୍ରି-ଦଳେ

କର ଆରୋହଣ ଉନ୍ନତି-ଅଚଳେ

ମହାନନ୍ଦେ ଗାଇ ଜୟ-ଗାନେ ।୬।

ଦେହ-ମନ-ଧନ-ଜୀବନ-ଯୌବନ,

ବିଧାତାର ପଦେ କରି ସମର୍ପଣ,

ଜ୍ଞାନ-ପ୍ରେମ-ପୁଣ୍ୟ କରି ଉପାର୍ଜନ,

ବଢ଼ାଅ ହେ ଉତ୍କଳ-ସମ୍ମାନ ।୭।

Image

 

ଭାରତୀ-ବନ୍ଦନା

 

ଭଗବତି ଭାରତୀ ! ତବ ଚରଣତଳେ

ବିକଶିତ ମାନସ-କମଳଦଳେ

ମଧୁମୟ-ଉତ୍ସବ-ଦୀପ ଜଳେ

ଜୟ ଜୟ ଭାରତୀ ଦେବୀ !

ୠଷିଗଣ ସୁରଗଣ କବିଗଣ ପ୍ରାଣସମାଜେ

ଜନନୀ ବାଣି ! ତବ ଆସନ ରାଜେ,

ବିଶ୍ୱମୋହିନୀ ତବ ବୀଣା ବାଜେ,

ଜୟ ଜୟ ଭାରତୀ ଦେବୀ !

ଶ୍ରୁତି ଇତିହାସ ନାଟକ କାବ୍ୟକଳା

ଦର୍ଶନ ବିଜ୍ଞାନ ତବ କୀରତି ଅମଳା,

ଗୌରବେ ପୁଣ୍ୟ ସୌରଭେ ସଦା ବିମଳା

ଜୟ ଜୟ ଭାରତୀ ଦେବୀ !

ଭାରତ ଅନ୍ତର ଦୀପିତ କର ତବ କିରଣେ,

ଅମୃତ ସମ୍ପଦ ତବ ବରଚରଣେ,

ନିଅ ଭାରତେ ତବ ଧ୍ରୁବ ସତ୍ୟ ଗଗନେ,

ଜୟ ଜୟ ଭାରତୀ ଦେବୀ !

Image